ବିଜୁ ଜନତା ଦଳରେ ସାମିଲ ହେଲେ ମନ୍ମଥ ରାଉତରାୟ

ଭୁବନେଶ୍ୱର: ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିରାଟ ରାଲିରେ ଆସି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ସୁଲତା ଦେଓଙ୍କ ଉପସ୍ଥିତିରେ ମନ୍ମଥ ବିଜେଡିରେ ମିଶିଛନ୍ତି । କଂଗ୍ରେସ ବିଧାୟକ ତଥା ମନ୍ମଥଙ୍କ ବାପା ସୁର ରାଉତରାୟ କହିଛନ୍ତି, ମୁଁ ମୋର ମୃତ୍ୟୁ ଯାଏଁ କଂଗ୍ରେସରେ ରହିବି । ମୋ ପୁଅ ସାବାଳକ ହୋଇଯାଇଛି । ତେଣୁ ସେ ଯେଉଁ ଦଳକୁ ଯିବ, ମୁଁ ତାକୁ ସମର୍ଥନ କରିବି । ମୋ ସମର୍ଥକ ତାକୁ ମଧ୍ୟ ସମର୍ଥନ କରିବେ । ମୋ ପୁଅ ଯେଉଁ ଦଳରେ ଛିଡା ହେବ ସେହି ଦଳକୁ ଜିତେଇବାକୁ ମୁଁ ଏବଂ ମୋର ସମର୍ଥକ ସମ୍ପୂର୍ଣ୍ଣ ଚେଷ୍ଟା କରିବୁ । ମୁଁ କଂଗ୍ରେସ ଲୋକ, ବିଜେଡି ପାର୍ଟି ଅଫିସ୍ ମାଟି ମାଡିବି ନାହିଁ ବୋଲି ସୁର କହିଛନ୍ତି ।ଅନ୍ୟପଟେ ମନ୍ମଥ ବିଜେଡି ଟିକେଟରୁ ଜଟଣୀରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଭୁବନେଶ୍ୱର ଲୋକସଭା ଆସନରେ ମଧ୍ୟ ମନ୍ମଥଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ମନ୍ମଥ ବିଜେଡିରେ ମିଶିବା ପରେ ତାଙ୍କୁ ଦଳ କଣ ଦାୟିତ୍ୱ ଦେଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ ।

Leave a Comment

Read More