ଭୁବନେଶ୍ବର: ଓଡ଼ିଶା ପୁଲିସ ଏସ୍ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି(୩୨)କୁ ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କରାଯାଇଛି। ତାଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ପୁଲିସ୍ ତାର ଫର୍ଚୁନର୍ କାର୍ (ଓଡି୦୭ ଏୟୁ ୯୭୭) ଓ ଦୁଇଟି ମୋବାଇଲ୍ ଜବତ କରିଛି। ଏହାଛଡ଼ା ତାର ପାସପୋର୍ଟ ବି ଜବତ କରାଯାଇଛି। ବାରମ୍ବାର ନିଜର ଲୋକେସନ୍ ବଦଳାଉଥିଲା ଶଙ୍କର ପୃଷ୍ଟି। ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ସିନେମା ଶୈଳୀରେ ଶଙ୍କର ପୃଷ୍ଟିକୁ ଧରାଯାଇଥିଲା।
ଶଙ୍କର ପୃଷ୍ଟିକୁ କ୍ରାଇମବ୍ରାଞ୍ଚ ଗତକାଲି ନେପାଳ ସୀମାରୁ ଗିରଫ କରିଥିଲା। ଏହାପରେ ତାକୁ ଭୁବନେଶ୍ବରକୁ ଆଣିଛି କ୍ରାଇମବ୍ରାଞ୍ଚ ଟିମ୍। ଗାଜିଆବାଦରେ ଥିବା ଶଙ୍କରର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଚଢ଼ଉ କରିଥିବା ବେଳେ ସେ ସେଠାରୁ ନେପାଳ ଫେରାର ହୋଇ ଯାଇଥିଲା। ଗାଜିଆବାଦ ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା ଶଙ୍କର। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା।
ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ। ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଗାଜିଆବାଦରୁ ଗୋଟିଏ ଫର୍ଚୁନର୍ ଗାଡ଼ି ଜବତ କରାଯାଇଛି। ସେଠାରେ ଶଙ୍କରର ପତ୍ନୀ ଓ ପିଲାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରୁଥିବା ବେଳେ ଅନ୍ୟ ଏକ ଟିମ୍ ଶଙ୍କରକୁ ଧରି ଓଡ଼ିଶା ଆସୁଛନ୍ତି। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ବାରା ପ୍ରସ୍ତୁତ ପୁଲିସ ଏସ୍ଆଇ କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି।







