Saturday, January 3, 2026

ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କେବଳ ରଙ୍ଗ ମାରିଦେଲେ ବିକାଶ ହୁଏ ନାହିଁ

ନୂଆପଡ଼ା: ‘କେବଳ ରଙ୍ଗ ମାରିଦେଲେ ବିକାଶ ହୁଏ ନାହିଁ। ମିଛ ପ୍ରତିଶ୍ରୁତିରେ ସରକାର ଚାଲେନାହିଁ। ବିଜେଡି ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପାନୀୟଜଳ, ଜଳସେଚନ, ଆଦିବାସୀ କଲ୍ୟାଣ ଆଦି କ୍ଷେତ୍ରରେ ବିକାଶ ଆସିଥିଲା। ନୂଆପଡ଼ାରେ ହଜାର ହଜାର ଏକର ଜମିକୁ ଜଳସେଚିତ କରାଯାଇଥିଲା। ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉନ୍ନତି ଆସିଥିଲା। ବିଜୁ ଏକ୍ସପ୍ରେସ ୱେ ଆଜି ନୂଆପଡ଼ାର ଆର୍ଥିକ ବିକାଶ ପାଇଁ ସୁଯୋଗ ଆଣିଛି। ମାତ୍ର ଆଜି ସାରା ରାଜ୍ୟରେ ବିକାଶ କାମ ବନ୍ଦ ରହିଛି’ ବୋଲି ନୂଆପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାରକରିବାକୁ ଆସି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ଅଭିଯୋଗ ଉଠାଇ ଶାସକ ବିଜେପିକୁ ସମାଲୋଚନା କରିଛନ୍ତି।ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଅାସି ନବୀନ ପ୍ରଚାର ସହ ଦୀର୍ଘ ୩ ଘଣ୍ଟା ଧରି ଖରିଆର ରୋଡ଼ ଓ ନୂଆପଡ଼ାରେ ରୋଡ଼​ଶୋ’ କରିଥିଲେ। ଖରିଆର ରୋଡ଼ର ଡାଗା ଛକ, ବିଜୁ ପଟ୍ଟନାୟକ ଛକ ଓ ଲଖନିଆ ପେଟ୍ରୋଲ ପମ୍ପ ଛକରେ ଏବଂ ନୂଆପଡ଼ା ଏନ୍‌ଏସି ଅଞ୍ଚଳର ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ପରେ ପରକୋଟ ପଡ଼ିଆରେ ଅନୁଷ୍ଠିତ ସମାବେଶରେ ଉଦ୍‌ବୋଧନ ଦେଇ ସେ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଥିଲେ।

ବିଜେପି ସରକାର ଶାସନର ୫୦୦ ଦିନ ପୂରଣ କରିଥିବା ବେଳେ ଲୋକଙ୍କ ପାଇଁ କ’ଣ କରିଛି ବୋଲି ସେ ପ୍ରଶ୍ନ କରିଥିଲେ। ୩୦୦ ୟୁନିଟ୍‌ ମାଗଣା ବିଜୁଳି, ବୟସ୍କ-ବୟସ୍କାଙ୍କୁ ୩୫୦୦ ଟଙ୍କା ପେନ୍‌ସନ୍‌, ଚାଷୀଭାଇଙ୍କୁ ୟୁରିଆ ସାର, ଯୁବକଙ୍କୁ ଚାକିରି ପ୍ରତିଶ୍ରୁତି ପୂରଣରେ ସରକାର ବିଫଳ ହୋଇଥିବା ସେ କଟାକ୍ଷ କରିଥିଲେ। ସେହିପରି ମିଶନଶକ୍ତି ମା’ଙ୍କୁ ଋଣ ନ ମିଳିବା ଓ ଧାନରେ କଟ୍‌ନି ଛଟ୍‌ନି ବନ୍ଦ ହୋଇ ନ ଥିବାରୁ ନବୀନ ଅସନ୍ତୋଷବ୍ୟକ୍ତ କରିଥିଲେ। ବିଜୁ ସ୍ବାସ୍ଥ୍ୟକାର୍ଡରେ ଲୋକଙ୍କୁ ସେବା ମିଳୁଥିବା ବେଳେ ଆୟୁଷ୍ମାନ କାର୍ଡରେ କେବଳ ଟେନ୍‌ସନ୍‌ ହିଁ ମିଳୁଛି ବୋଲି ସେ କହିଥିଲେ। ଗତ ୩ ତାରିଖ ତାଙ୍କ ସଭାକୁ ଯେପରି ଲୋକ ନ ଆସିବେ, ସେଥିପାଇଁ ଅନେକ ଚେଷ୍ଟା କରାଯାଇଥିଲା। ତେବେ କୋମନାରେ ଭୋଟର୍‌ ଭାଇଭଉଣୀ ବହୁସଂଖ୍ୟାରେ ଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଥିଲେ।

ନବୀନ ଆହୁରି କହିଥିଲେ, ବିଜେପି ମିଛ କହି ସରକାର କରିପାରନ୍ତି। ପ୍ରାର୍ଥୀ ବି ଚୋରି କରିପାରନ୍ତି। କିନ୍ତୁ ସେମାନେ ଲୋକଙ୍କ ହୃଦୟ ଜିତିପାରିବେ ନାହିଁ। କୋମନା ସଭାରେ ଲୋକଙ୍କ ମନରେ ଯେଉଁ କ୍ରୋଧ ଓ ଦୁଃଖ ସେ ଦେଖିଥିଲେ ଆଜି ମଧ୍ୟ ନୂଆପଡ଼ାରେ ଲୋକଙ୍କ ଆଖିରେ ସେହି କ୍ରୋଧ ଓ ଦୁଃଖ ରହିଛି। ଲୋକଙ୍କ ସହ, ବିଜେଡି ସହ ଓ ତାଙ୍କ ସହ କିପରି ବେଇମାନି କରାଗଲା ନୂଆପଡ଼ାବାସୀ ତାହା ଭଲ ଭାବେ ଜାଣନ୍ତି। ଏହାର ଜବାବ ଦେବେ ନୂଆପଡ଼ାର ଭୋଟର୍‌ ା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନଙ୍କୁ ଆଶୀର୍ବାଦ କରିବାକୁ ନବୀନ ଜନସାଧାରଣଙ୍କୁ ନିବେଦନ କରିଥିଲେ। ନୂଆପଡ଼ାରେ ରହି ନୂଆପଡ଼ାବାସୀଙ୍କ ସେବା କରିବାକୁ ସ୍ନେହାଙ୍ଗିନୀଙ୍କୁ ନିର୍ଦେଶ ଦେଇଛି ବୋଲି ନବୀନ ଭାଷଣରେ ଉଲ୍ଲେଖ କରିଥିଲେ। ସଭାରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ସମେତ ସ୍ଥାନୀୟ ଦଳୀୟନେତା ଉପସ୍ଥିତ ଥିଲେ।

Hunkar Live
Author: Hunkar Live

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail​