ଚିଟ୍‌ଫଣ୍ଡ ଦୁର୍ନୀତିର ଶିକାର ହୋଇଥିବା ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାର ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇପାରିଲେ ନାହିଁ। : ଚିଟ୍‌ଫଣ୍ଡ ପରିବାରକୁ କ’ଣ ଜବାବ ଦେବେ ମୋଦୀ

ଭୁବନେଶ୍ବର: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରକୁ ୧୦ ବର୍ଷ ଓ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାରକୁ ୨୪ବର୍ଷ ହେଲାଣି। ହେଲେ ଚିଟ୍‌ଫଣ୍ଡ ଦୁର୍ନୀତିର ଶିକାର ହୋଇଥିବା ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାର ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇପାରିଲେ ନାହିଁ। ନିଜର ସଞ୍ଚିତ ଅର୍ଥ ଫେରିପାଇବା ଆଶାରେ ଏହି ଗରିବ ଲୋକମାନେ ଦିନ ଗଣୁଛନ୍ତି।ଆଜି ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ପରିବାରକୁ କ’ଣ ଜବାବ ଦେବେ ? ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ଗଣମାଧ୍ୟମ ସେଲ୍ ଅଧ୍ୟକ୍ଷ ପୱନ ଖେଡ଼ା ଏହି ପ୍ରଶ୍ନ ଉଠାଇଛନ୍ତି।

ଶ୍ରୀ ଖେଡ଼ା କହିଥିଲେ ଯେ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟର ଯେ‌ତେସବୁ ଟେଣ୍ଡର ହେଉଛି ସେସବୁକୁ ରାଜ୍ୟ ବାହାରର ଲୋକଙ୍କୁ କାହିଁକି ଦିଆଯାଉଛି ? ଓଡ଼ିଶାର ମାନବ ସମ୍ବଳ ଓ ବଡ଼ ଠିକାଦାର ହାତବାନ୍ଧି ବସିଛନ୍ତି। ଜଳ, ଜଙ୍ଗଲ, ଖଣିଜ ସମ୍ପଦକୁ ବାହାର ରାଜ୍ୟର ଲୋକଙ୍କୁ ବିକ୍ରି କରାଯାଉଛି। ଓଡ଼ିଶାରେ କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ବେ‌ଳେ ଏହାର ତଦନ୍ତକୁ ଜାଣିଶୁଣି ଫାଇଲ ତଳେ ଚାପି ଦିଆଯାଇଛି। ୟୁପିଏ ସରକାର ସମୟରେ ଓଡ଼ିଶାର ଖଣି ଦୁର୍ନୀତିର ତଦନ୍ତ ଶାହ କମିସନ ଦ୍ବାରା ହୋଇଥିଲା। ମାତ୍ର ମୋଦୀ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ସହ ମିଶି ଏହି ତଦନ୍ତକୁ ଚାପି ଦେଇଛନ୍ତି। ଉଭୟ ବିଜେପି ଓ ବିଜେଡି ଅଘୋଷିତ ମେଣ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ।

କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଏଥିପାଇଁ ବିଜେପି ଓ ବିଜେଡି ନେତା ଭୟଭୀତ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ଓଡ଼ିଶା ଆସୁଛନ୍ତି। ୧୦ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ‌ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ ପୂରଣ କରିପାରି ନାହାନ୍ତି। ଯୁବପିଢ଼ି, ଚାଷୀ, ମହିଳା ଓ ଆଦିବାସୀଙ୍କ ପ୍ରତି ଅନ୍ୟାୟ ବଢ଼ି ଚାଲିଛି। କଂଗ୍ରେସ ଶାସନକୁ ଆସିଲେ ଏସବୁ ଅନ୍ୟାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତି କ୍ଷତିଗ୍ରସ୍ତକୁ ହକ୍ ମିଳିବ ବୋଲି ଶ୍ରୀ ଖେଡ଼ା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ, ବିଶ୍ବରଂଜନ ମହାନ୍ତି ଓ ବବିତା ଶର୍ମା ଉପସ୍ଥିତ ଥିଲେ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail