ନବୀନ ଓଡ଼ିଶା‌ ମ୍ୟାଜିକ୍‌ କାର୍ଡର ଲୋକାର୍ପଣ

ମାଲକାନଗିରି: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ଆରମ୍ଭ କରିଛନ୍ତି। ପୂର୍ବାହ୍ନରେ ମାଲକାନଗିରିଠାରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କାର୍ଡର ଶୁଭାରମ୍ଭ କରି କହିଲେ, ଯୁବପିଢ଼ି ହେଉଛନ୍ତି ଦେଶର ଶକ୍ତି। ତେଣୁ ରାଜ୍ୟ ସରକାର ସେମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି।ନୂଆ-ଓ କାର୍ଯ୍ୟକ୍ରମ ଓ ନୂଆ-ଓ ବୃତ୍ତି ମାଧ୍ୟମରେ ଯୁବପିଢ଼ି କିଭଳି ସଶକ୍ତ ହେବେ ସେଦିଗରେ ପଦକ୍ଷେପ ନିଆଯାଉଛି। ଯୁବକ ଯୁବତୀଙ୍କୁ ସଶକ୍ତ କରିବା କ୍ଷେତ୍ରରେ ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ଏକ ବଡ଼ ପଦକ୍ଷେପ। ଏହା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ବିକାଶ, ଅଭିଭାବକଙ୍କ ଉପରୁ ଆର୍ଥିକ ବୋଝ ଲାଘବ କରିବା ସହ କ୍ୟାରିଅର ଗଠନରେ ସୁଯୋଗ ସୃଷ୍ଟି ଓ ସଶକ୍ତୀକରଣ କ୍ଷେତ୍ରରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମାଲକାନଗିରିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାର ୧୦ଟି କଲେଜର ୫ହଜାର ୬୯ଜଣ ପିଲାଙ୍କୁ ୫.୧୯ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ସନ୍ଧ୍ୟାରେ ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ବିଜେବି ସ୍ମୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀ ପାଣ୍ଡିଆନ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ବୃତ୍ତି ସମ୍ପର୍କରେ ଅବଗତ କରାଇଥିଲେ। ଏହି ୩ଟି ଶିକ୍ଷାନୁଷ୍ଠାନର ୮,୪୮୦ ଛାତ୍ରଛାତ୍ରୀଙ୍କୁ ୮.୫୩ କୋଟି ଟଙ୍କାର ବୃତ୍ତି ବଣ୍ଟନ କରିଥିଲେ। ଏଥିସହ ନବୀନ ଓଡ଼ିଶା ମ୍ୟା‌ଜିକ୍‌ କାର୍ଡରେ ସାମିଲ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ଯୁକ୍ତ୩ ତଥା ୟୁଜି ଓ ସ୍ନାତକୋତ୍ତର ତଥା ପିଜି ପାଠ୍ୟକ୍ରମରେ ଶିକ୍ଷାଲାଭ କରୁଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ପାଇଁ ଆଜିଠାରୁ www.magiccard.odisha.gov.in ମାଧ୍ୟମରେ ପଞ୍ଜୀକରଣ କରିପାରିବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ନବୀନ ମ୍ୟାଜିକ୍ କାର୍ଡର ପ୍ରଚଳିତ ହେଉଛି। ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୧୫ରୁ କାର୍ଡ ବଣ୍ଟନ କରାଯିବ। ଏହି କାର୍ଡ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟକ ହେବ। ଯେପରିକି ବସ୍/ଟ୍ରେନ୍/ବିମାନରେ ଯିବା ସମୟରେ ରିହାତି ମିଳିବ। ମୋବାଇଲ୍ ରିଚାର୍ଜ ଓ ୱାଇଫାଇ ବ୍ୟବହାର, ଇ-ଲାଇବ୍ରେରି, ଅନ୍‌ଲାଇନ୍ ଏକାଡେମିକ କୋର୍ସ, ବ୍ୟକ୍ତିତ୍ବ ବିକାଶ କୋର୍ସ, କୋଚିଂ ସେଣ୍ଟର ଓ ଟ୍ୟୁସନ୍ କ୍ଲାସ, ଦକ୍ଷତା ବିକାଶ କୋର୍ସ, କ୍ୟାରିଅର କାଉନସେଲିଂ, ଓଡ଼ିଆ ଓ ଇଂରାଜୀ ଭାଷା ପାଠ୍ୟକ୍ରମ, ନିଯୁକ୍ତିରେ ସହାୟକ ହେବ। ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସମୟରେ ଷ୍ଟାଡିୟମ୍‌ରେ ଛାତ୍ରଛାତ୍ରୀ ଏହି କାର୍ଡକୁ ବ୍ୟବହାର କରିପାରିବେ। ଜର୍ଣ୍ଣାଲ୍ ଓ ସେମିନାର, ପର୍ଯ୍ୟଟନସ୍ଥଳୀ, ସଂଗ୍ରହାଳୟରେ ଏହାକୁ ବ୍ୟବହାର କରି ହେବ। କାର୍ଡକୁ ସିଲଭର, ଗୋଲ୍ଡ, ପ୍ଲାଟିନମ୍ ବର୍ଗକୁ ଉନ୍ନୀତ କରିବାକୁ ସୁଯୋଗ ରହିବ।

ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ସମୃଦ୍ଧିର ପାସପୋର୍ଟ ବା ‘ପାସପୋର୍ଟ ଟୁ ପ୍ରସ୍‌ପରିଟି’ ଭାବେ ପରିଗଣିତ ହେବ। ଛାତ୍ରଛାତ୍ରୀ ସେମାନଙ୍କ ପାଠପଢା, ଶୃଙ୍ଖଳା, ଭାଗୀଦାରିତା, କ୍ରୀଡ଼ା, ବ୍ୟକ୍ତିତ୍ବ ବିକାଶ, ପାରଦର୍ଶିତା ଓ ଅନ୍ୟାନ୍ୟ ଗଠନ ମୂଳକ କାର୍ଯ୍ୟ ଜରିଆରେ ଏଥିରେ ଅଧିକ ପଏଣ୍ଟ ପାଇପାରିବେ। ପଏଣ୍ଟ ଅନୁସାରେ ପିଲାମାନଙ୍କୁ ସିଲଭର, ଗୋଲ୍ଡ, ପ୍ଲାଟିନମ୍ କାର୍ଡର ସ୍ତର ବଢିବ। ସେହି ଅନୁଯାୟୀ ଛାତ୍ରଛାତ୍ରୀ ଅଧିକ ସୁବିଧା ପାଇବେ। କଲେଜ ଛାତ୍ରଛାତ୍ରୀଙ୍କ ପାଠପଢା ସହ ପ୍ରତ୍ୟେକ କାର୍ଯ୍ୟ ଏଥିରେ ଆକଳନ କରାଯିବ। ଖେଳକୁଦ, ରକ୍ତଦାନ, ବୃକ୍ଷରୋପଣ ଆଦି ପ୍ରତିଟି ବିଷୟରେ ପଏଣ୍ଟ ମିଳିବ। ମ୍ୟାଜିକ କାର୍ଡ ଜରିଆରେ ଛାତ୍ରଛାତ୍ରୀ ଭଲ କମ୍ପାନିରେ ଚାକିରି ପାଇବେ। ପାଠପଢାର କ୍ୟାରିଅର ଏବଂ ଅନ୍ୟାନ୍ୟ ଦକ୍ଷତାକୁ ନେଇ ବିଭିନ୍ନ କମ୍ପାନି ପକ୍ଷରୁ ସେମାନଙ୍କୁ ଚାକିରି ନିମନ୍ତେ ମନୋନୟନ କରାଯାଇପାରିବ। ଷ୍ଟାର୍ଟଅପ ଉଦ୍ୟୋଗ, ଋଣ, ବୃତ୍ତି ଓ ବିଭିନ୍ନ ପ୍ରକାର ସହାୟତା ଏହି କାର୍ଡ ମାଧ୍ୟମରେ ପାଇପାରିବେ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail