Wednesday, October 8, 2025

ଏକ ନମ୍ବର ହାଟରେ ହେବ ବାୟୋଗ୍ୟାସ୍‌ ପ୍ଲାଣ୍ଟ୍‌: ପନିପରିବା ବର୍ଜ୍ୟରୁ ଉତ୍ପାଦନ ହେବ ବିଜୁଳି

ଭୁବନେଶ୍ବର: ଭୁବନେଶ୍ବରର ସବୁଠୁ ବଡ଼ ବଜାର ହେଉଛି ୧ ନମ୍ବର ହାଟ। ବଜାରରେ ବ୍ୟବସାୟ ଓ ଗହଳି ଯେମିତି, ଆବର୍ଜନାର ଭାର ବି ସେତିକି ଅଧିକ। ବିଶେଷ କରି କଞ୍ଚା ପନିପରିବା ଆବର୍ଜନା ଏଠାରୁ ଅଧିକ ବାହାରିଥାଏ। ଏଣୁ ନିର୍ଗତ ଓଦା ଓ ଶୁଖିଲା ଆବର୍ଜନାକୁ ପ୍ରତିଦିନ ସଂଗ୍ରହ ଓ ପ୍ରକ୍ରିୟାକରଣ ପାଇଁ ୧ ନମ୍ବର ହାଟରେ ସ୍ବତନ୍ତ୍ର ଭାବେ ଏକ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ(ଏମ୍‌ସିସି) କରାଯାଇଛି। ଏବେ ପନିପରିବାର ଏହି ସବୁଜ ଆବର୍ଜନାରୁ ବାୟୋଗ୍ୟାସ୍ ପ୍ରସ୍ତୁତ କରିବାକୁ ଯୋଜନା କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)। ଏଥିପାଇଁ ସ୍ବତନ୍ତ୍ର ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ହେବ। ଏକ ଘରୋଇ ସଂସ୍ଥା ସହଭାଗିତାରେ ପ୍ରାୟ ୩୫ଶହ ବର୍ଗଫୁଟ ଜାଗାରେ ଏହି ପ୍ରକଳ୍ପକୁ ପୂର୍ଣ୍ଣ ରୂପ ଦେବାକୁ ଭୁବନେଶ୍ବର ମହାନଗର ନିଗମ ଅଣ୍ଟା ଭିଡ଼ିଛି। ସପ୍ତାହକୁ ୬ ଦିନ ଚାଲୁଥିବା ୧ ନମ୍ବର ହାଟରେ ପନିପରିବାଠାରୁ ଆରମ୍ଭ କରି ତେଜରାତି ଓ ଅନ୍ୟାନ୍ୟ ସାମଗ୍ରୀର ବିକ୍ରିବଟା ହେଉଛି। କିନ୍ତୁ ତାଜା ଓ ଶସ୍ତାରେ ପନିପରିବା ପାଇଁ ଏହି ହାଟର ପ୍ରସିଦ୍ଧି ରହିଛି ଓ ଏଥିପାଇଁ ପ୍ରତିଦିନ ବହୁ ସଂଖ୍ୟାରେ ଗ୍ରାହକଙ୍କ ଏଠାରେ ଭିଡ଼ ଲାଗୁଛି। ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାର ଶତାଧିକ ଚାଷୀ ସତେଜ ପନିପରିବା ଧରି ଆସି ଏଠାରେ ବିକ୍ରି କରୁଛନ୍ତି। ଏହା ସହ ରାଜ୍ୟ ବାହାରୁ ମଧ୍ୟ ୧ ନମ୍ବର ହାଟରୁ ପନିପରିବା ଆସିଥାଏ। ତେଣୁ ଏଠାରୁ ଅଧିକ ବର୍ଜ୍ୟ ବାହାରିଥାଏ।ବିଏମ୍‌ସି ଡେପୁଟି କମିସନର୍ ଏନ୍. ଗଣେଶ ବାବୁ କହିଛନ୍ତି, ୧ ନମ୍ବର ହାଟରୁ ପ୍ରତିଦିନ ପ୍ରାୟ ୩୦ ଟନ୍ ବର୍ଜ୍ୟ ବାହାରିଥାଏ। ଯେହେତୁ ଏହି ହାଟରୁ ସର୍ବାଧିକ ସବୁଜ ବର୍ଜ୍ୟ ବାହାରୁଛି, ଏହାକୁ ପ୍ରକ୍ରିୟାକରଣ କରି ବାୟୋଗ୍ୟାସ୍ ଉତ୍ପାଦନ ପାଇଁ ଯୋଜନା ହୋଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ହେବ। ଏହାର ଡିଜାଇନ୍ ବି ଚୂଡ଼ାନ୍ତ ହୋଇସାରିଛି। ବାୟୋଗ୍ୟାସ୍ ପ୍ଲାଣ୍ଟରେ ଆବର୍ଜନାକୁ ପ୍ରକ୍ରିୟାକରଣ କରି ମିଥେନ୍ ଗ୍ୟାସ୍ ବାହାର କରାଯିବ। ଏହି ମିଥେନ୍ ଗ୍ୟାସ୍‌କୁ ବିଜୁଳିରେ ପରିବର୍ତ୍ତନ କରାଯିବ। ଏହି ବିଜୁଳି ଶକ୍ତିରେ ୧ ନମ୍ବର ହାଟର ଏମ୍‌ସିସିର ଯନ୍ତ୍ରାଂଶ ଚାଲିବ। ଅନ୍ୟାନ୍ୟ ବିଜୁଳି ଖର୍ଚ୍ଚ ବି ଭରଣା କରାଯିବ। ଯଦ୍ବାରା ଏମ୍‌ସିସି ପରିଚାଳନାରେ ମାସିକ ବିଜୁଳି ଖର୍ଚ୍ଚ ଭାରରୁ ଭୁବନେଶ୍ବର ମହାନଗର ନିଗମ ମୁକ୍ତ ହୋଇପାରିବ। ଯଦି ବିଜୁଳି ବଳେ ଟିପିସିଓଡିଏଲ୍‌କୁ ବିକ୍ରି କରିବାକୁ ଯୋଜନା କରିଛୁ। ଏହି ପ୍ଲାଣ୍ଟ ସ୍ଥାପନ ପାଇଁ ଭୁବନେଶ୍ବର ମହାନଗର ନିଗମକୁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବନି। ଏକ ଘରୋଇ ସଂସ୍ଥା ଏହି ପ୍ଲାଣ୍ଟ ସ୍ଥାପନ କରିବ। ଏଥିପାଇଁ ଆବଶ୍ୟକ ଯନ୍ତ୍ରାଂଶ ବି ସଂପୃକ୍ତ ସଂସ୍ଥା ବସାଇବ। ପ୍ଲାଣ୍ଟ ସ୍ଥାପନ ପରେ କେବଳ ବାୟୋଗ୍ୟାସ୍ ଉତ୍ପାଦନ ପାଇଁ ସ୍ବଳ୍ପ ଖର୍ଚ୍ଚ ଭୁବନେଶ୍ବର ମହାନଗର ନିଗମ ସଂପୃକ୍ତ ସଂସ୍ଥାକୁ ଦେବ। ଅତିରିକ୍ତ କମିସନର୍ ଶ୍ରୀ ବାବୁ କହିଛନ୍ତି, ଏଥିପାଇଁ ଆର୍‌ଏଫ୍‌ପି(ରିକ୍ୟୁଏଷ୍ଟ ଫର୍ ପ୍ରପୋଜାଲ୍) ପ୍ରକ୍ରିୟାରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଯେଉଁ ସଂସ୍ଥା ଏହି ପ୍ଲାଣ୍ଟ୍‌ କରିବ ଚୟନ ସରିଛି। ଶୀଘ୍ର ଏହି ପ୍ଲାଣ୍ଟ୍‌ କାମ ଆରମ୍ଭ ହେବ ବୋଲି ଶ୍ରୀ ବାବୁ କହିଛନ୍ତି।

Hunkar Live
Author: Hunkar Live

Read More

Leave a Comment

Read More

Our Company

Laest News

2024 Reserved Hunkar Live | Designed by Best News Portal Development Company - Traffic Tail