ଆପାର୍ଟମେଣ୍ଟ ଲୁଟେରାଙ୍କୁ କମିଶନରେଟ ପୋଲିସର ଆର ପାର ଚ୍ୟାଲେଞ୍ଜ । ରାଜଧାନୀରେ ଗଠନ ହେଲା ସ୍ବତନ୍ତ୍ର ଟିମ୍ । ୧୫୦ ବଛାବଛା ପୋଲିସଙ୍କୁ ନେଇ ଗଠନ ହୋଇଛି ଟିମ । ରାତି ତମାମ ଚେକିଂ ବ୍ଳକିଂ ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରୁଛି ଏହି ଟିମ । ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଟିମରେ କିଛି ବନ୍ଧୁକଧାରୀ ଅଫିସର ରହିଛନ୍ତି । ରାଜଧାନୀ ଉପକଣ୍ଠରେ ପାଇଁତରା ମାରୁଛି ଏହି ଟିମ । ଏନେଇ ଏକ ୱାଟ୍ସଆପ୍ ଗ୍ରୁପ ମଧ୍ୟ ଗଠନ ହୋଇଛି । ନିଜେ ଡିସିପି ଏହି ଗ୍ରୁପର ଆଡମିନ ଅଛନ୍ତି। ସମସ୍ତ ଥାନାର ଥାନାଧିକାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି । ଆପାର୍ଟମେଣ୍ଟର ସଭାପତି ଓ ସେକ୍ରେଟାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି । ଅଚିହ୍ନା ଲୋକଙ୍କ ଚଳପ୍ରଚଳ ଓ ସନ୍ଦିଗ୍ଧ ଗାଡି ଦେଖିଲେ ତୁରନ୍ତ ପହଞ୍ଚୁଛି ପୋଲିସ । ଯେଉଁ ଆପାର୍ଟମେଣ୍ଟର ସିସିଟିଭି କାମ କରୁନାହିଁ, ସେନେଇ ତୁରନ୍ତ ଭୁବନେଶ୍ୱର ଡିସିପିଙ୍କୁ ଜଣାଉଛି ସ୍କ୍ବାଡ଼ । ଏହି ଅପରେସନ ବେଳେ କିଛି ସନ୍ଦିଗ୍ଧଙ୍କୁ ମଧ୍ୟ କାବୁ କରିଛି ସ୍କ୍ବାଡ଼। ଯେଉଁମାନେ ଦିନରେ ମଜୁରିଆ ଭାବେ କାମ କରିବା ସହ ରାତିରେ ଲୁଟ ପାଟ କରୁଥିବା ଖବର ପାଇଛି ପୋଲିସ । ଆଉ କିଛି ସ୍ଥାନରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସନ୍ଧାନ ମଧ୍ୟ ପାଇଛି ପୋଲିସ । ବିଗତ କିଛିଦିନ ଧରି ଆପାର୍ଟମେଣ୍ଟ ଲୁଟ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ପାହାଳ ଅଞ୍ଚଳରୁ ସିରିଜ ଲୂଟ ହୋଇଥିଲା। ଯେଉଁ ଘଟଣା କମିଶନରେଟ ପୋଲିସ ପାଇଁ ସୃଷ୍ଟି କରିଥିଲା ବଡ଼ ଚ୍ୟାଲେଞ୍ଜ ।