Saturday, January 18, 2025

ଭାରତ ଇତିହାସରେ ପ୍ରଥମ, ସଂସଦରେ ନେହରୁ-ଗାନ୍ଧୀ ପରିବାରର ୩ ସଦସ୍ୟ

ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।କେରଳର ୱାୟନାଡ ଆସନରେ ଲୋକସଭା ଉପନିର୍ବାଚନ ଜିତିଲେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ବିଜୟରେ ସେ କେବଳ ସଂସଦକୁ ନିର୍ବାଚିତ ହୋଇନାହାନ୍ତି ନେହରୁ-ଗାନ୍ଧୀ ପରିବାର ପାଇଁ ରଚିଛନ୍ତି ଇତିହାସ । ପ୍ରଥମ ଥର ପାଇଁ ଏହି ପରିବାରରୁ ୩ ଜଣ ମାଆ ସୋନିଆ ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କାଙ୍କୁ ସଂସଦରେ ଦେଖିବାକୁ ମିଳିବ । ଗତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାଏ ବରେଲି ଓ କେରଳର ୱାୟନାଡ ଆସନରୁ ବିଜୟୀ ହୋଇଥିଲେ । ସେ ରାଏ ବରେଲି ଆସନକୁ ହାତରେ ରଖି ୱାୟନାଡ ଆସନରୁ ଇସ୍ତଫା ଦେଇଥିଲେ ।

ଏହାପରେ ତାଙ୍କ ଭଉଣୀ ପ୍ରିୟଙ୍କା ୱାୟନାଡ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ତାଙ୍କ ମାଆ ସୋନିଆ ଗାନ୍ଧୀ ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ଗତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଏହି ଆସନରେ ୩ ଲକ୍ଷ ୬୪ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । କିନ୍ତୁ ଉପନିର୍ବାଚନରେ ପ୍ରିୟଙ୍କା ୪ ଲକ୍ଷ ୧୦ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି । ତେବେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ୱାୟନାଡ ଆସନରେ ୪ ଲକ୍ଷ ୩୦ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ ।ପ୍ରିୟଙ୍କାଙ୍କ ମାଆ ସୋନିଆ ଗାନ୍ଧୀ ୧୯୯୯ରେ ପ୍ରଥମେ ସଂସଦକୁ ନିର୍ବାଚିତ ହୋଇଥିଲେ । ସେ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଆମେଥି ଓ କର୍ଣ୍ଣାଟକର ବେଲାରୀ ଆସନରୁ ନିର୍ବାଚିତ ହୋଇଥିଲେ । ସେ ଆମେଥି ଆସନରୁ ପ୍ରତିନିଧିତ୍ୱ କରି ବେଲାରୀ ଆସନ ଛାଡିଥିଲେ। ପରେ ୨୦୦୪ରେ ଉତ୍ତରପ୍ରଦେଶର ରାଏ ବରେଲି ଆସନକୁ ବାଛିଥିଲେ ସୋନିଆ । ଏହି ଆସନରୁ ସେ ଲଗାତର ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ରେ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସୋନିଆ ୨୦୦୪ରେ ଆମେଥି ଆସନରୁ ନଲଢି ପୁଅ ରାହୁଲ ପାଇଁ ପଥ ପରିଷ୍କାର କରିଥିଲେ । ରାହୁଲ ଆମେଥିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୯ ଓ ୨୦୧୪ରେ ମଧ୍ୟ ଆମେଥିରୁ ଲୋକସଭାକୁ ଯାଇଥିଲେ । କିନ୍ତୁ ୨୦୧୯ରେ ଆମେଥିରେ ରାହୁଲ ଗାନ୍ଧୀ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ପରାଜିତ ହୋଇଥିଲେ । କିନ୍ତୁ ୨୦୧୯ରେ ୱାୟନାଡରୁ ବିଜୟ ଲାଭ କରି ଲୋକସଭା ସଦସ୍ୟ ପଦ ବଜାୟ ରଖିବାରେ ସକ୍ଷମ ହୋଇଥିଲେ ।ପ୍ରିୟଙ୍କା ଗାନ୍ଧୀ ଲୋକସଭାକୁ ଯିବା ପରେ ସଂସଦରେ ସେ ଏନଡିଏ ସରକାରଙ୍କୁ ଘେରିବେ । ବିଶେଷ କରି ଦକ୍ଷିଣ ଭାରତର ବିଭିନ୍ନ ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇ ସେ କାର୍ଯ୍ୟ କରିବେ ବୋଲି ତାଙ୍କ ସମର୍ଥକମାନେ ମତ ଦେଉଛନ୍ତି । ଗୋଟିଏ ପରିବାରର ୩ ଜଣ ସଂସଦକୁ ନିର୍ବାଚିତ ହେବା ଘଟଣାକୁ ଏନଡିଏ ଓ ବିଜେପି ସାଂସଦମାନେ ପରିବାର ରାଜନୀତି କହି ପାଲଟା ଆକ୍ରମଣ କରିପାରନ୍ତି । କିନ୍ତୁ ପ୍ରିୟଙ୍କା ତାଙ୍କର ଦୃଢ ଲୋକସଂପର୍କ ଓ ନିଜର ଦକ୍ଷତା ଆଧାରରେ ଏହି ନିର୍ବାଚନ ଆଶାତୀତ ଭୋଟ ବ୍ୟବଧାନରେ ଜିତିଥିବା କହୁଛନ୍ତି କଂଗ୍ରେସ ନେତା ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail