ଭୁବନେଶ୍ୱର :ଐତିହ୍ୟ ଓ କୀର୍ତ୍ତିରାଜିର ସହର ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ପାଳୁଛି ତା’ର ୭୬ ତମ ପ୍ରତିଷ୍ଠା ଦିବସ। ସମୟ ସହିତ ତାଳଦେଇ ବୃଦ୍ଧି ପାଇଛି ଭୁବନେଶ୍ୱରର କଳେବର। ରାଜଧାନୀର ଜନସଂଖ୍ୟା ବୃଦ୍ଧି ସହ ବିକାଶ ମଧ୍ୟ ଆଗେଇ ଚାଲିଛି। ଖାସ୍ ସେଥିପାଇଁ ଇତିମଧ୍ୟରେ ଦେଶର ଏକ ନମ୍ବର ସ୍ମାର୍ଟସିଟି ମାନ୍ୟତା ପାଇବା ସହ ଦ୍ବିତୀୟ ବାସୋପଯୋଗୀ ସହର ଭାବେ ଏହା ଖ୍ୟାତି ଲାଭ କରି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି।ଆଇଆଇଟି ଭଳି ସର୍ବଭାରତୀୟ ସ୍ତରର ଶିକ୍ଷାନୁଷ୍ଠାନ ସହ ନାଇଜର, ବିପିୟୁଟି,ଓୟୁଟି ଭଳି ଏକାଧିକ ବିଶ୍ବବିଦ୍ୟାଳୟ ଗଢ଼ି ଉଠିବା ପରେ ଏହା ଭାରତର ପୂର୍ବାଞ୍ଚଳର ଏଜୁକେସନାଲ୍ ହବ୍ ହୋଇଯାଇଛି। ପୁରୁଷ ହକି ବିଶ୍ବକପ୍, ଏସିଆନ୍ ଆଥ୍ଲେଟିକ ଗେମ୍ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ପାଲଟିବା ସହ ବିଶ୍ବ ମାନଚିତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ପ୍ରତିଦିନ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଟାଣିଆଣେ ଏକାମ୍ର କ୍ଷେତ୍ର। ବୌଦ୍ଧ, ଜୈନ, ମହିମା, ଶାକ୍ତ ଆଦି ସମସ୍ତ ଧର୍ମର ସମନ୍ବୟ ପୀଠ ଭାବେ ଏହା ମର୍ଯ୍ୟାଦା ଲାଭ କରିଛି। ଭୁବନେଶ୍ୱରର ଛାତି ଉପରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଦଣ୍ଡାୟମାନ। ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଆଦି ଦେଶ ବିଦେଶରେ ପରିଚିତ। ସେହିଭଳି ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ମନ୍ଦିର ମାଳିନୀ ଭୁବନେଶ୍ୱରର ଇତିହାସ ୩ହଜାର ବର୍ଷ ପୁରୁଣା। ତେବେ ଆଧୁନିକ ଭୁବନେଶ୍ୱରର ଜନ୍ମ ୧୩ ଏପ୍ରିଲ୍ ୧୯୪୮ ମସିହାରେ। ଏହି ଦିନରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ ଓଡ଼ିଶାର ନୂଆ ରାଜଧାନୀ ଭାବେ ଏହାର ଶିଳାନ୍ୟାସ କରିଥିଲେ। ପ୍ରସିଦ୍ଧ ଜର୍ମାନ୍ ସ୍ଥପତି ଓଟୋ କନିଗ୍ସବର୍ଗର ରାଜଧାନୀ ଭୁବନେଶ୍ୱରର ନକ୍ସା ପ୍ରସ୍ତୁତ କରିଥିଲେ। ପ୍ରାଥମିକ ସ୍ତରରେ ୧୬.୪୮ ବର୍ଗ କିଲୋମିଟର ଅଞ୍ଚଳରେ ମାତ୍ର ଚାଳିଶ ହଜାର ଲୋକଙ୍କ ବସବାସ ଲାଗି ନୂଆ ରାଜଧାନୀର ନକ୍ସା ତିଆରି ହୋଇଥିଲା। ମୋଟ୍ ବସତି ଅଞ୍ଚଳକୁ ଛଅଟି ୟୁନିଟ୍ ଏବଂ ପନ୍ଦର ଶହ କୋଠାବାଡ଼ି ନିର୍ମାଣ ପାଇଁ ଯୋଜନା କରାଯାଇଥିଲା।
ପ୍ରଥମେ ୧୯୩୬ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ରାଜ୍ୟରେ ନୂଆ ରାଜଧାନୀ ପ୍ରତିଷ୍ଠା ନେଇ ତତ୍ପରତା ପ୍ରକାଶ ପାଇଥିଲା। ପରେ ଡକ୍ଟର ହରେକୃଷ୍ଣ ମହତାବ ଭୁବନେଶ୍ୱରରେ ରାଜଧାନୀ ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବଟି ପ୍ରଥମେ ତାଙ୍କ ମନ୍ତ୍ରିମଣ୍ଡଳରେ ଏବଂ ପରେ ରାଜ୍ୟ ବିଧାସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହେବା ପରେ ଏହା କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା।