ରାଜ୍ୟରେ ‘୧୦୦ କୋଟି’ର ୨୦୦ ଷ୍ଟାର୍ଟଅପ୍‌ ଖୋଲିବ

ଭୁବନେଶ୍ବର: ନିଜ ଉଦ୍ୟୋଗ ଗଠନ କରି ଅର୍ଥନୀତି ପ୍ରତି ଯୋଗଦାନ ଦେବା ଲାଗି ରାଜ୍ୟବାସୀ ବିଶେଷ କରି ଯୁବପିଢ଼ିଙ୍କ ଯେଉଁ ଉତ୍ସାହ ଓ ଅଭିଳାଷ ରହିଛି ତାହା ପୂରଣ କରିବା ଲାଗି ସରକାରୀ ସ୍ତରରେ ବହୁ ଉଦ୍ୟମ କରାଯାଉଛି। ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ୍ ଓଡ଼ିଶା ଏଦିଗରେ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ସେଥିରେ ଯୋଡ଼ିହୋଇଛି।କେନ୍ଦ୍ରର ‘୧୦୦ କ୍ୟୁବ୍ ଷ୍ଟାର୍ଟଅପ୍’ ଅଭିଯାନ ଅଧୀନରେ ୨୦୩୬ ବେଳକୁ ଓଡ଼ିଶାରେ ୧୦୦ କୋଟି ଟଙ୍କା ଲେଖାଏଁର ୨୦୦ ଷ୍ଟାର୍ଟଅପ୍ ସ୍ଥାପନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଚଳିତ ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ଭୁବନେଶ୍ବରରେ ୧୦୦-କ୍ୟୁବ୍ ଷ୍ଟାର୍ଟଅପ୍ ଅଭିଯାନ ଆରମ୍ଭ କରିଥିଲେ।ମାର୍ଚ୍ଚରୁ ଆଇଆଇଏମ୍ ସମ୍ବଲପୁରରେ ସେହି ଅଭିଯାନ ଆରମ୍ଭ କରାଯିବ। ଆଇଆଇଟି ଭୁବନେଶ୍ବର ଭଳି ଆଇଆଇଏମ୍ ସମ୍ବଲପୁର ମଧ୍ୟ ୧୦୦ କୋଟି ଟଙ୍କା ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସ୍ଥାପନ କରିବା ଲାଗି ଉଦ୍ୟମ କରିବ। ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ହେବ। ସେହି ସମୟ ଭିତରେ ରାଜ୍ୟରେ ଥିବା ଆଇଆଇଟି ଓ ଆଇଆଇଏମ୍ ୧୦୦ଟି ଲେଖାଏଁ ଷ୍ଟାର୍ଟଅପ୍ ଗଠନ କରିବେ। ଆଇଆଇଟି ଭୁବନେଶ୍ବରରେ ସେଥିପାଇଁ ଅନୁସନ୍ଧାନ ଓ ଉଦ୍ୟମିତା ପାର୍କ ସ୍ଥାପନ କରାଯାଇଛି। ଏହି ପାର୍କ ସ୍ବାସ୍ଥ୍ୟ ଓ ବାୟୋଟେକ୍, ବ୍ୟାଟେରି, ଇଭି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମହାକାଶ ପ୍ରଯୁକ୍ତି, ଡ୍ରୋନ୍, ୟୁଏଭି, ସେମିକଣ୍ଡକ୍ଟର ଓ ଏଣ୍ଟରପ୍ରାଇଜ୍ ସଫ୍ଟୱେର ଭଳି କ୍ଷେତ୍ରରେ ନୂଆ ନୂଆ ଷ୍ଟାର୍ଟଅପ୍ ଗଠନ କରିବା ଉପରେ ଜୋର ଦେବ।

୧୦୦-କ୍ୟୁବ୍ ଷ୍ଟାର୍ଟଅପ୍ ଅଭିଯାନକୁ ଆଗକୁ ବଢ଼ାଇବା ଲାଗି ଆଇଆଇଏମ୍ ସମ୍ବଲପୁରରେ ‘ଆଇ-ହବ୍ ଫାଉଣ୍ଡେସନ’ ଗଠନ କରାଯିବ। ଏହା ଉଭୟ ପ୍ରତ୍ୟକ୍ଷ ଓ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବ। ଓଡ଼ିଶାର ଉଦ୍ୟମିତା ଜଗତର ବିଭିନ୍ନ ଅଂଶୀଦାରଙ୍କ ସହ ଏହା ସହଯୋଗିତା ସ୍ଥାପନ କରିବାକୁ ଉଦ୍ୟମ କରିବ। ଏ ସମ୍ପର୍କରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ବାଲ କହିଛନ୍ତି ଯେ ଆଇ-ହବ୍ ଫାଉଣ୍ଡେସନ ବୟନ, କଳା ଓ ସଂସ୍କୃତି, ସ୍ବାସ୍ଥ୍ୟ ସେବା, ଆର୍ଥିକ ଓ ଡିଜିଟାଲ ଅନ୍ତର୍ଭୁକ୍ତୀକରଣ, ଆଦିବାସୀ ଉଦ୍ୟମିତା ଓ ସ୍ଥାୟିତ୍ବ ଭଳି କ୍ଷେତ୍ର ଉପରେ ଗୁରୁତ୍ବ ଦେଇ ଅଭିନବ ଚିନ୍ତାଧାରାଗୁଡ଼ିକୁ ସମର୍ଥନ ପ୍ରଦାନ କରିବା ସହ ସେଗୁଡ଼ିକୁ ସମୃଦ୍ଧ କରିବାକୁ ଉଦ୍ୟମ କରିବ।

Hunkar Live
Author: Hunkar Live

Read More

Leave a Comment

ias coaching , upsc coaching

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail