ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ଝଡ଼ : ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟ

ଭୁବନେଶ୍ବର: କେଇଟା ଦିନ ପୂର୍ବରୁ ମିଳିମିଶି ଭୁବନେଶ୍ବର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଆଶାୟୀ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରର ଗାଁ ଗାଁ ବୁଲୁଥିଲେ। ଦଳୀୟ ପ୍ରଚାରରେ ଲାଗିପଡ଼ିଥିଲେ। କିନ୍ତୁ ଦୁଇଦିନ ତଳେ ଏକ ସାଂସ୍କୃତିକ ସଭାରେ ଶ୍ରୀମତୀ ଷଡ଼ଙ୍ଗୀଙ୍କର ମନ୍ତବ୍ୟ ଖୋର୍ଦ୍ଧା ବିଜେପିରେ ଝଡ଼ ସୃଷ୍ଟି କରିଛି।ଏହାର ପ୍ରତିବାଦରେ କାଳୁଙ୍କ ସମର୍ଥକମାନେ ଖୋର୍ଦ୍ଧା ବାଟମଙ୍ଗଳା ଛକରେ ଏକାଠି ହୋଇ ଅପରାଜିତାଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ଏହା ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବି ନାରାବାଜି କରିଛନ୍ତି।

ଟାଙ୍ଗୀ ବ୍ଲକ୍‌ ଲେଣ୍ଡୋ ପଞ୍ଚାୟତରେ ୨୮ ତାରିଖରେ ଅନୁଷ୍ଠିତ ଫୁଳଦୋଳ ମହୋତ୍ସବ ସଭାରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନୈତିକ ଚର୍ଚ୍ଚା କରୁ କରୁ କହିଥିଲେ, ”କିଛି ଦିନ ତଳେ ଚିଲିକାର ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ମୁଁ ଅନୁରୋଧ କଲି। କହିଲି, ଆପଣ ଆସନ୍ତୁ। ସେ ମୋତେ ପଚାରିଲେ, ମୁଁ ଆସିଯିବି ଯେ, କ’ଣ କରିବି। ମୁଁ ତାଙ୍କୁ କହିଲି, ଖୋର୍ଦ୍ଧା ବିଧାନସଭାର ଦାୟିତ୍ବ ଆପଣ ନେବେ। ଆମକୁ ଯୋଗ୍ୟ ଲୋକ ଦରକାର। ଆପଣଙ୍କ ଭଳି ବିଧାୟକ ଦରକାର।” ଏହି ମନ୍ତବ୍ୟ ଖୋର୍ଦ୍ଧା ବିଜେପିରେ ହଟଚମଟ ସୃଷ୍ଟି କରିଛି। ଆଜି ମଧ୍ୟାହ୍ନରେ ଶତାଧିକ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ‌ଖଣ୍ଡେଇତରାୟ ପହଞ୍ଚିଥିଲେ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସମର୍ଥକମାନେ ନାରାବାଜି କରିଥିଲେ। ପ୍ରଶାନ୍ତ ଜଗଦ୍ଦେବଙ୍କୁ କାହିଁକି ଅପରାଜିତା ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ ଘୋଷଣା କରିଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। ତେବେ ଘଟଣାସ୍ଥଳରେ ଶ୍ରୀ ଜଗଦ୍ଦେବ ନିଜେ ପହଞ୍ଚିଯାଇ ସେମାନଙ୍କୁ ସାମ୍ନା କରିଥିଲେ।

ସେ ବୁଝାଇଥିଲେ ଯେ, କେବଳ ଟିକେଟ ପାଇବା ଆଶାରେ ସେ ବିଜେପିରେ ଯୋଗଦେଇ ନାହାନ୍ତି। ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଖୋର୍ଦ୍ଧା, ଚିଲିକା, ବୋଲଗଡ଼ ବେଗୁନିଆ ନିର୍ବାଚନମଣ୍ଡଳୀରେ ସଂଗଠନକୁ ସୁଦୃଢ଼ କରିବା ତାଙ୍କ ଲକ୍ଷ୍ୟ। ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ମାନିନେବେ। ସାଂସଦ ତାଙ୍କୁ କୌଣସି ଜାଗାରେ ଖୋର୍ଦ୍ଧାର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିନାହାନ୍ତି ବୋଲି ସେ କହିଥିଲେ। ଏହା ପରେ କାଳୁଙ୍କ ସମର୍ଥକମାନେ କିଛିଟା ଶାନ୍ତ ପଡ଼ିଥିଲେ। ବିଜେପି ରାଜ୍ୟ ସଭାପତିଙ୍କ ସହ ମଧ୍ୟ କାଳୁ ଆଲୋଚନା କରିଥିଲେ। ୨୦୧୯ ମସିହାରେ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରୁ ବିଜେପି କାଳୁ ଚରଣ ଖଣ୍ଡେଇୟତରାୟଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା। ଯଦିଓ ସେ ଜିତି ପାରିନଥିଲେ, ତେବେ ପ୍ରତିଦ୍ବନ୍ଦ୍ବୀ ବିଜେଡିକୁ କଡ଼ା ଟକ୍ଖର ଦେଇଥିଲେ। କାଳୁଙ୍କ ପ୍ରତିଦ୍ବନ୍ଦ୍ବିତାରୁ ବିଜେପିର ଅପେକ୍ଷାକୃତ ଉତ୍‌ଥାନ ହୋଇଥିଲା। କାଳୁ ପୁଣି ଏଥର ନିର୍ବାଚନ ଲଢ଼ିବେ ବୋଲି ଗଲା ପାଞ୍ଚବର୍ଷ ହେଲା ଦଳୀୟ ସଂଗଠନକୁ ସୁଦୃଢ଼ କରି ଆସୁଥିବା ବେଳେ ଏବେ ଖୋର୍ଦ୍ଧା ବିଜେପି ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail