ପରଲୋକରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

ଭୁବନେଶ୍ୱର : ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଏନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସକାଳ ୫ଟା ୨୩ ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା ।ପରିବାର ଲୋକେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ନିଧନ ଓଡ଼ିଶା ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି ରାଜନେତାମାନେ କହିଛନ୍ତି ।

ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ଜଣାଶୁଣା । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଛନ୍ତି । ୧୯୭୯ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମୟରେ ଭିନ୍ନ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

ରାଜନୈତିକ କ୍ୟାରିଅର ସେ ଜନତା ଦଳରୁ ଆରମ୍ଭ କରିଥିଲେ। ଜନତାଦଳର ବିଭାଜନ ପରେ ସେ ବିଜୁ ଜନତା ଦଳରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୫ଥର ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓ ୨ଥର ପାରାଦୀପ ଆସନରୁ ବିଜୟୀ ହୋଇଥିଲେ। ୧୯୭୭ରେ ସେ ପ୍ରଥମ ଥର ପାଇଁ ଏରସମା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଶେଷଥର ପାରାଦୀପ ଆସନରୁ ନିର୍ବାଚିତ ହୋଇଥିଲେ। ବିଭିନ୍ନ ମନ୍ତ୍ରିମଣ୍ଡଳରେ ସେ ସୂଚନା ଓ ଲୋକସଂପର୍କ ବିଭାଗ, ପଞ୍ଚାୟତି ରାଜ, ମହିଳା ଓ ଶିଶୁ ବିକାଶ, ସଂସ୍କୃତି, କୃଷି, ଅବକାରୀ ଭଳି ୧୫ଟି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ନିର୍ବାହ କରିଥିଲେ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରଭାବିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ ଦାମ ରାଉତ। ବିଜୁବାଙ୍କ ଏକାନ୍ତ ଅନୁଗତ ଭାବେ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୧୧ରେ ଦଳର କିଛି ନେତାଙ୍କ ବିରୋଧରେ ମନ୍ତବ୍ୟ ଦେଇ ସେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିଲେ। କିନ୍ତୁ ୨୦୧୨ରେ ପୁଣି ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ କରାଯାଇଥିଲା। ୨୦୧୮ରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଏହା ପରେ ସେ ବିଜେପିରେ ଯୋଗ ଦେଇ ୨୦୧୯ରେ ବାଲିକୁଦା -ଏରସମା ଆସନରୁ ନିର୍ବାଚନ ଲଢିଥିଲେ। କିନ୍ତୁ ସେଠାରୁ ପରାଜିତ ହୋଇଥିଲେ। ପରେ ବିଜେପି ଦଳ ଛାଡ଼ିଥିଲେ ଦାମୋଦର । ନିକଟରେ ଜାନୁଆରୀ ୧ ତାରିଖରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବିଜେଡି ବହିଷ୍କାର ଆଦେଶ ହଟାଇଥିଲା । ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail