ନୂଆଦିଲ୍ଲୀ,୩୧/୦୭ : ଅଗଷ୍ଟ ୧ରୁ ଏହି ଟାରିଫ୍ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାସହିତ ଖୋଲାଖୋଲି ଧମକ ଦେଇ ଟ୍ରମ୍ପ କହିଛନ୍ତି ରୁଷଠାରୁ ଇନ୍ଧନ ଓ ଯୁଦ୍ଧାସ୍ତ୍ର କିଣିଲେ ଅଧିକ ଶୁଳ୍କ ଦେବାକୁ ପଡିବ । ଟ୍ରମ୍ପ ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଘୋଷଣା କରିବା ପରଠାରୁ ଏଠାକାର ରପ୍ତାନିକାରୀଙ୍କ ଟେନସନ ବଢିଯାଇଛି । ତେବେ ଆମେରିକାର ଏହି ନୂତନ ନିର୍ଦ୍ଦେଶନାମା ଭାରତ ଉପରେ କ’ଣ ପ୍ରଭାବ ପକାଇବ ଜାଣିବା ।
ବୈଦେଶିକ ବାଣିଜ୍ୟ ନୀତି ବିଶେଷଜ୍ଞଙ୍କ ମତରେ ଟ୍ରମ୍ପଙ୍କ ନୂତନ ଶୁଳ୍କ ଭାରତର ରପ୍ତାନି ବାଣିଜ୍ୟ ଉପରେ ଏକ ବଢ ପ୍ରଭାବ ପକାଇବ । ଏହା ଭାରତୀୟ ଉତ୍ପାଦନ ଶିଳ୍ପକୁ ଏକ ବଡ କ୍ଷତି ପହଞ୍ଚାଇବ । ଆମେରିକାର ଏହି ଶୁଳ୍କ ବିଶେଷ କରି ବୟନଶିଳ୍ପ, ଅଟୋ ପାର୍ଟସ୍ ଏବଂ ଔଷଧ ଶିଳ୍ପକୁ ପ୍ରଭାବିତ କରିବ ବୋଲି କୁହାଯାଉଛି । ଟ୍ରମ୍ପଙ୍କ ଘୋଷଣା ପରେ ବିରୋଧୀ ଦଳ ଭାରତ ସରକାରଙ୍କୁ ଘେରିଛନ୍ତି । ଫଳରେ ସରକାର ଆମେରିକା ସହିତ ଏସମ୍ପର୍କରେ ଆଲୋଚନା କରିବାକୁ ଯୋଗାଯୋଗ କରିଥିବା ବେଳେ ବିଭିନ୍ନ ବିଶେଷଜ୍ଞମାନେ ମଧ୍ୟ ଆମେରିକାୀୟ ସରକାରୀ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଅଛନ୍ତି ।
ଭାରତର ଅର୍ଥନୀତି ଏବଂ ବ୍ୟବସାୟ ଉପରେ ଏହାର ପ୍ରଭାବ କ’ଣ ପଡିବ?
ଆମେରିକୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଲାଗୁ କରାଯିବା ଦ୍ୱାରା ଭାରତର ଅର୍ଥନୈତିକ ଏବଂ କୂଟନୈତିକ ଉଭୟ କ୍ଷେତ୍ରରେ ଗଭୀର ପ୍ରଭାବ ପଡିବ । ଏକ ରିପୋର୍ଟ ଅନୁଯାୟୀ, ଭାରତ ଆମେରିକାକୁ ପ୍ରାୟ ୭.୨୯ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରେ । ଅଗଷ୍ଟ ୧ରୁ ନୂତନ ନିୟମ ଲାଗୁ ହେବା ସହିତ ଏହି ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ । ଏହା ବ୍ୟତୀତ, ରାଜନୈତିକ ମହଲରେ ଏକ ଆଲୋଚନା ମଧ୍ୟ ଚାଲିଛି ଯେ ଆମେରିକାର ଏହି ନୂତନ ନିର୍ଦେଶ ଭାରତ ଏବଂ ରୁଷ ମଧ୍ୟରେ ବର୍ଷ ବର୍ଷର ପୁରୁଣା ସମ୍ପର୍କକୁ ପ୍ରଭାବିତ କରିବ । ପ୍ରକୃତରେ ଆମେରିକା ଭାରତ ଦ୍ୱାରା ରୁଷଠାରୁ ତେଲ ଏବଂ ଅସ୍ତ୍ରଶସ୍ତ୍ର କ୍ରୟକୁ ଶୁଳ୍କ ପାଇଁ ମୁଖ୍ୟ କାରଣ ଭାବରେ ଉଲ୍ଲେଖ କରିଛି ।
ଭାରତୀୟ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଆମେରିକାକୁ ରପ୍ତାନି ହେଉଥିବା ସାମଗ୍ରୀରେ କପଡା ଏବଂ ଔଷଧ ବ୍ୟତୀତ ରତ୍ନ, ଅଳଙ୍କାର ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ । ଏପରି ପରିସ୍ଥିତିରେ ଯଦି ମୂଲ୍ୟ ବୃଦ୍ଧି ପାଏ ତେବେ ସେମାନଙ୍କର ସମସ୍ୟା ବଢିବ । ଯଦି ଆମେ ସଂଖ୍ୟା ଉପରେ ନଜର ପକାଇବା ତେବେ ଭାରତ ୧.୦୦୫୬ଲକ୍ଷ କୋଟି ଟଙ୍କାର ଔଷଧ, ୫୮୬୬ଲକ୍ଷ କୋଟି ଟଙ୍କାର ଅଟୋ ପାର୍ଟସ୍, ୭୫୪୨ଲକ୍ଷ କୋଟି ଟଙ୍କାର ରତ୍ନ ଏବଂ ଅଳଙ୍କାର ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଥାଏ ।
