ନୂଆଦିଲ୍ଲୀ,୨୯/୦୭: ପହଲଗାମରେ କାହିଁକି ସୁରକ୍ଷା ବ୍ୟବସ୍ଥା ନଥିଲା ? ଆତଙ୍କୀ ହମଲା କେମିକି କାହିଁକି ହେଲା ? ପହଲଗାମ ଏବଂ ସେ ୨୬ ନୀରିହ ଲୋକ ଭଗବାନ ଭରସାରେ ଥିଲେ । ଗୃହମନ୍ତ୍ରୀ ଆଜି ମୋ ମାଆଙ୍କ ଲୁହ କଥା କହିଲେ । ମୁଁ ଉତ୍ତର ଦେବାକୁ ଚାହୁଁଛି ମୋ ମାଆଙ୍କ ଆଖିରୁ ଲୁହ ଝରିଥିଲା ଯେବେ ଆତଙ୍କବାଦୀ ମୋ ବାପାଙ୍କୁ ହତ୍ୟା କରିଥିଲେ । ଲୋକସଭାରେ ‘ଅପରେସନ୍ ସିନ୍ଦୂର’ ଚର୍ଚ୍ଚା ଉପରେ କିଛି ଏମିତି କହି ଶାସକ ଦଳକୁ ତେରଛା ଆଟାକ୍ କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ।
ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି,”ଆଜି ଏହି ଗୃହରେ ବସିଥିବା ଅଧିକାଂଶ ଲୋକଙ୍କ ସୁରକ୍ଷା କବଚ ଅଛି । କିନ୍ତୁ ପହଲଗାମରେ ସେହି ଦିନ ୨୬ ଜଣଙ୍କୁ ସେମାନଙ୍କ ପରିବାର ସମ୍ମୁଖରେ ହତ୍ୟା କରାଯାଇଥିଲା । ସେହି ଦିନ ବୈସାରନ ଘାଟିରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କର କୌଣସି ସୁରକ୍ଷା ନଥିଲା । ତୁମେ ଯେତେ ଅପରେସନ କର ନା କାହିଁକି, ତୁମେ ସତକୁ ଲୁଚିପାରିବ ନାହିଁ । ଏହି ସରକାର ସବୁବେଳେ ପ୍ରଶ୍ନଗୁଡ଼ିକରୁ ଖସିଯିବାକୁ ଚେଷ୍ଟା କରେ । ଦେଶର ନାଗରିକମାନଙ୍କ ପ୍ରତି ସେମାନଙ୍କର କୌଣସି ଉତ୍ତରଦାୟିତ୍ୱ ନାହିଁ । ସତ୍ୟ ହେଉଛି ସେମାନଙ୍କ ହୃଦୟରେ ଜନସାଧାରଣଙ୍କ ପାଇଁ କୌଣସି ସ୍ଥାନ ନାହିଁ । ସେମାନଙ୍କ ପାଇଁ ସବୁକିଛି ରାଜନୀତି, ପ୍ରଚାର । ନାଗରିକଙ୍କ ସୁରକ୍ଷା କ’ଣ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ କି ?”ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା, ସେତେବେଳେ ସମଗ୍ର ଦେଶ ଏକଜୁଟ ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରେୟ ନେଇଥିଲେ କିନ୍ତୁ କେବଳ ଶ୍ରେୟ ନେବା ଦାୟିତ୍ୱ ପୂରଣ କରେ ନାହିଁ । ଦେଶର ଇତିହାସରେ ଏହା ପ୍ରଥମ ଥର ହୋଇଛି ଯେ, ମଝି ରାସ୍ତାରେ ଯୁଦ୍ଧ ବନ୍ଦ ହୋଇଗଲା । ଏହି ଘୋଷଣା ଭାରତୀୟ ସେନା କିମ୍ବା ସରକାର ନୁହେଁ ବରଂ ଆମେରିକାର ରାଷ୍ଟ୍ରପତି କରିଥିଲେ । ସେଦିନ କଣ ହୋଇଥିଲା ସିଜଫାୟାର କାହିଁକି ହେଲା ଦେଶ ଜାଣିବାକୁ ଚାହୁଛି ବୋଲି କହିଛନ୍ତି କଂଗ୍ରେସ ସାସଂଦ ପ୍ରିୟାଙ୍କା ଗାନ୍ଧୀ ।
