ବିଜେଡିର ପ୍ରତିଷ୍ଠା ଦିବସ : ଆନନ୍ଦଭବନରୁ ବାହାରିବ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ଆସନ୍ତାକାଲି ଡିସେମ୍ବର ୨୬ ତାରିଖରେ ୨୭ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ। ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀ-ବ୍ଲକ୍-ପୌରାଞ୍ଚଳରେ ପ୍ରତିଷ୍ଠା ଦିବସକୁ ପାଳନ କରିବା ଲାଗି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଉପଲକ୍ଷେ ଗଣଦୌଡ଼, ସଭା, ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ। ଚଳିତମାସ ୧୪ ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମସ୍ତ କର୍ମକର୍ତ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ, ବିଧାୟକ, ଜିଲ୍ଲା ସଭାପତି ଓ ଅନ୍ୟମାନଙ୍କୁ ଏ ସଂପର୍କରେ ପତ୍ର ଲେଖି ଅବଗତ କରିଥିଲେ। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ନିଜର ପ୍ରତିଷ୍ଠା ଦିବସକୁ ଏକ ପ୍ରଭାବୀ ଢଙ୍ଗରେ ପାଳନ କରିବା ଲାଗି ଉଦ୍ୟମ କରିଛି।ପ୍ରତିଷ୍ଠା ଦିବସ ଉପଲକ୍ଷେ ସକାଳ ୭ଟାରେ ପତାକା ଉତ୍ତୋଳନ କରାଯିବ। କଟକ ଆନନ୍ଦଭବନରୁ ଏକ ବିଶାଳ ସାଇକେଲ ଶୋଭଯାତ୍ରା ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ସାଢ଼େ ୯ଟାରେ ପହଞ୍ଚିବ। ଶଙ୍ଖଭବନରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ପରେ ଫରେଷ୍ଟ ପାର୍କସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହାସହ ବିଜେଡି କର୍ମୀମାନେ ଏକ ଶପଥ ପାଠରେ ସାମିଲ ହେବେ।କର୍ମୀମାନେ ନେବାକୁ ଥିବା ଶପଥ ପାଠ ପାଇଁ ଦଳ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଓଡ଼ିଶା ବିକାଶର ସାରଥୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିକାଶକୁ ଉଚ୍ଚତର ସୋପାନକୁ ନେବା ପାଇଁ ଜଣେ ସୈନିକ ଭାବେ ଯୋଗଦେବା ସହିତ ରାଜ୍ୟର ନ୍ୟାଯ୍ୟ ଦାବି ହାସଲ ପାଇଁ ନିର୍ଭୀକତାର ସହ ସଂଗ୍ରହ କରିବା କଥା କୁହାଯାଇଛି। ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ‘ନବୀନ ଓଡ଼ିଶା’ ଗଠନ ପାଇଁ ବ୍ରତୀ ହେବା ଲାଗି କର୍ମୀମାନେ ଶପଥୀ ନେବେ। ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ରାଜ୍ୟରେ ଲଗାତାର ଭାବେ ବିଭିନ୍ନ ସାଧାରଣ ନିର୍ବାଚନ, ଉପ-ନିର୍ବାଚନ, ସମବାୟ ନିର୍ବାଚନ ସମେତ ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ହାସଲ କରିପାରିଛି। ୩୦ଜିଲ୍ଲାରେ ବିଜେଡିର ଶତ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି, ୮୦% ପୌରାଞ୍ଚଳ ଆସନ ହାସଲ କରିବା ବିଜେଡି ଦଳ ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରମାଣିତ କରିଛି। ଏହି ବିଜୟ ଆଗାମୀ ଦିନରେ ରାଜ୍ୟର ବିକାଶର ଧାରା ବଜାୟ ରଖିବା ପାଇଁ ଦଳକୁ ଶକ୍ତି ଯୋଗାଇଛି।

Leave a Comment

Read More